ଓଡ଼ିଶାକୁ ଦେଶରେ ନୁହେଁ ସାରା ବିଶ୍ବର ମାନଚିତ୍ରରେ ପ୍ରାଥମିକତା ମିଳୁ। ଓଡ଼ିଶାକୁ ଗୋରବନିତ କରିବା ପାଇଁ ଏଠାରେ ଜୀ -୨୦ ସମ୍ମିଳନୀ ଆରମ୍ଭ କରି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ, ପୁଲିସ ଡି ଜି ପି ଓ ଆଇଜି ସମ୍ମିଳନୀ ଆୟୋଜନ କରାଯାଇଛି।ଏଥିପାଇଁ ଓଡ଼ିଶାକୁ ଦେଶରେ ୧ନମ୍ବର୍ ରାଜ୍ୟ କରିବାପାଇଁ ସଂକଳ୍ପ ନିଆଯାଇଛି। ଏହା ତାର ପ୍ରମାଣ ବୋଲି ପିଏମ୍ ମୋଦି କହିଛନ୍ତି ।ଭୁବନେଶ୍ବର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଛନ୍ତି ବିକାଶର ବାର୍ତ୍ତା । ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ଫୋକସରେ ରହିଛି ଓଡ଼ିଶା । ଆଉ କେନ୍ଦ୍ର ସରକାରଙ୍କ ମିଶନ ପୂର୍ବୋଦୟରୁ ଓଡ଼ିଶାର ବିକାଶ ହେଉଛି । ଉତ୍କର୍ଷ ଉତ୍କଳ ଅଭିଯାନରେ ଓଡ଼ିଶା ବିକାଶର ଧାରାକୁ ଆଗେଇ ନେବାକୁ କେନ୍ଦ୍ର ସରକାର ବଦ୍ଧପରିକର ହୋଇଛନ୍ତି । ଓଡ଼ିଶାରେ ଆବାସ, ପାନୀୟ ଜଳ ଯୋଗାଣ, ନୂଆ ଶିକ୍ଷା ନୀତି ଲାଗୁ ଭଳି ପଦକ୍ଷେପ ନିଆଯାଉଛି । ମୋଦି କହିଛନ୍ତି, ୭ ମାସ ତଳେ ସେ ଯେତେବେଳେ ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସିଥିଲେ, ସେତେବେଳେ ଏଠାକାର ବଡ଼ ବଡ଼ ରାଜନୈତିକ ପଣ୍ଡିତମାନେ କହୁଥିଲେ ଯେ ଓଡ଼ିଶାରେ ବିଜେପି ସରକାର ହୋଇପାରିବ ନାହିଁ। କିନ୍ତୁ ରେଜଲ୍ଟ ଆସିବା ପରେ ସେମାନେ ସମସ୍ତେ ଚୁପ୍ ହୋଇଯାଇଛନ୍ତି । ଯେତେବେଳେ ଓଡ଼ିଶାରେ ବିଜେପି ସରକାର ନ ଥିଲା, ସେତେବେଳେ ମଧ୍ୟ କେନ୍ଦ୍ର ସରକାର ଓଡ଼ିଶାକୁ ଗୁରୁତ୍ବ ଦେଉଥିଲେ । ବଜେଟ୍ ୩ ଗୁଣା କରିଥିଲେ । ୨୦୧୪, ୨୦୧୯ ନିର୍ବାଚନ ବିଜୟ ଅପେକ୍ଷା ୨୦୨୪ ବିଜୟ ନୂଆ ଉନ୍ମାଦନା ଖେଳାଇ ଦେଇଛି ବୋଲି ମୋଦି କହିଛନ୍ତି ।ମୋଦି କହିଛନ୍ତି, ୧୦୦ ବର୍ଷ ଧରି ଡିଜିପି ସମ୍ମିଳନୀ ହେଉଛି କିନ୍ତୁ ଏଥର ପ୍ରଥମ ଥର ଏହା ଓଡ଼ିଶାରେ ହେଉଛି । ସେହିଭଳି ଡିସେମ୍ବର ୪ରେ ନୌସେନା ଦିବସ ମଧ୍ୟ ଓଡ଼ିଶାରେ ହେବ। ଆଉ ୨୦୨୫ ଜାନୁଆରୀ ୮ ରୁ ୧୦ ଭିତରେ ଭୁବନେଶ୍ବରରେ ହେବ ପ୍ରବାସୀ ଭାରତୀୟ ଦିବସ । ଏସବୁ ଦ୍ବାରା ବିଶ୍ବରେ ଓଡ଼ିଶାର ବହୁଳ ପ୍ରଚାର ପ୍ରସାର ହେବ । ଏହା ହିଁ ତାଙ୍କର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭୁବନେଶ୍ବର ସଭାମଞ୍ଚରେ କଂଗ୍ରେସକୁ ବି ନିଶାନା କରିଛନ୍ତି ମୋଦି । କହିଛନ୍ତି, କଂଗ୍ରେସ ଭାରତର ସମ୍ବିଧାନକୁ ଦଳି ଦେଇଛି । ମିଥ୍ୟା ଓ ଗୁଜବ ଦୋକାନ ଖୋଲିଛି କଂଗ୍ରେସ । ଶାସନ ଗାଦିରେ ବସିବା ପାଇଁ ଭୋକିଲା ଥିବା ଏହି ଦଳ ମିଥ୍ୟା ତତ୍ତ୍ଵ ପ୍ରଚାର କରୁଛି ।